ଇତିହାସ

ଶ୍ରୀ ମନ୍ଦିର ଲୁଣ୍ଠନ ର ଇତିହାସ କେତେଥର ଆକ୍ରମଣ ହୋଇଥିଲା

ତେବେ ‘ଲୁଣ୍ଠନ’ ଭଳି ଏକ ଅମାନବୀୟ ଶୈଳୀ ସହିତ ଭାରତବର୍ଷ ଅତି ଅନ୍ତରଙ୍ଗ ଭାବେ ଆକ୍ରାନ୍ତ । ଅତୀତରେ ଅଗଣିତ ଥର ଏ ଦେଶ ବିଦେଶୀ ଯବନ, ପଠାଣ, ମୋଗଲ, ପର୍ତ୍ତୁଗୀଜ ଓ ଇଂରେଜମାନଙ୍କ ଦ୍ବାରା ବାରମ୍ବାର ଲୁଣ୍ଠିତ ହୋଇ ସର୍ବସ୍ବାନ୍ତ ହୋଇଛି । ମୁନୀଋଷି, ମଠମନ୍ଦିରର ଏହି ଶାନ୍ତିପ୍ରିୟ ଦେଶ ଶତଶତ ବର୍ଷ ଧରି ଅଶାନ୍ତିର ଅନଳରେ ଦଗ୍ଧ ହୋଇଛି । ଅଚଳାଚଳ ଧନସମ୍ପତ୍ତି ବାହ୍ୟ ଶତ୍ରୁଗଣ ଲୁଟି ନେଇ ଏହାକୁ ହତଶ୍ରୀ କରିଦେଇଛନ୍ତି । ଏତେସବୁ ପରେ ବି ଏ ଜାତି ପୁଣି ଥରେ ମୁଣ୍ଡ ଟେକି ଠିଆ ହୋଇ ପାରିଛି, ଏହା କ’ଣ କମ୍ ଗୌରବର କଥା ! ଇତିହାସ ସାକ୍ଷୀ ପୁଣି କେଉଁଠି ନିରବ । ଏ ପ୍ରସଙ୍ଗରେ ଆଜି ସୁନାମଧନ୍ୟ ଐତିହାସିକ, ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ, ସୁଲେଖକ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ “ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ”କୁ ଅବଲୋକନ କରାଯାଉ ।

କହି ତ ସାରିଛି ଭାରତବର୍ଷ ଥିଲା ସ୍ବର୍ଣ୍ଣପ୍ରସୂ । ମାତ୍ର ଅନେକ ଛୋଟ ବଡ ରାଜ୍ୟରେ ବିଭକ୍ତ ପ୍ରାଦେଶିକ ରାଜାମାନେ ସର୍ବଦା କଳହରେ ବ୍ୟାପ୍ତ ରହୁଥିଲେ । ନିଜ ନିଜ ଭିତରେ ଲାଗି ରହିଥିବା ଏଇ ଅନ୍ତଃକଳହ ସେମାନଙ୍କୁ ଅନ୍ତଃସାରଶୂନ୍ୟ କରି ଦେଇଥିଲା । ଏହା ହିଁ ଆକ୍ରମଣକାରୀଙ୍କୁ ସୁହାଇ ଥିଲା । ଆଉ ଦୁର୍ଭାଗ୍ୟ ଦେଖନ୍ତୁ ଗୋଟେ ରାଜ୍ୟ ଆକ୍ରମଣର ଶୀକାର ହେଲାବେଳେ ପଡୋଶୀ ରାଜ୍ୟ ତାର ଦୁର୍ଦ୍ଦଶାକୁ ଉପଭୋଗ କରି ମନେମନେ ଖୁସି ହୋଇଯାଉଥିଲା । କିନ୍ତୁ ପରୋକ୍ଷରେ ନିଜର ଦୁର୍ଭାଗ୍ୟକୁ ଯେ ନିମନ୍ତ୍ରଣ କରୁଥିଲା, ତାହା ସେମାନଙ୍କ ବୁଝିବା ବାହାରେ ଥିଲା । ଆଉ ଭାରତର ଐତିହାସିକମାନଙ୍କୁ ଦେଖନ୍ତୁ, ଯେଉଁମାନେ ଲୁଣ୍ଠନକାରୀ, ଖଳନାୟକ ସେମାନଙ୍କୁ ଇତିହାସରେ ନାୟକ ଭାବେ ସଜେଇ ଦେଇଛନ୍ତି ତାଙ୍କ ଜୀବନକାଳର ଆଲୋକ ପାର୍ଶ୍ବଟିକୁ ଦର୍ଶେଇ ଅଗଣିତ ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି ଯାହା । ଡ. ମିଶ୍ରଙ୍କ ଏ ଅଦମ୍ୟ ପରିକ୍ରମାଟି ଆରମ୍ଭ ହୋଇଛି ଭାରତର ଅନ୍ୟାନ୍ୟ ପ୍ରାନ୍ତର ବିଦେଶୀ ଆକ୍ରମଣ ଓ ଲୁଣ୍ଠନର ଉପକ୍ରମରୁ । ମଧ୍ୟକାଳୀନ ଭାରତବର୍ଷ ଖ୍ରୀଷ୍ଟିୟ ଷଷ୍ଠ ଶତାବ୍ଦୀ ଠାରୁ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହୋଇଛି । ଅବଶ୍ୟ ତା’ ପୂର୍ବରୁ ଗ୍ରୀକ୍, ପାରସ୍ୟ(ଶ୍ୟାମ ଦେଶ) ଓ ଅନ୍ୟାନ୍ୟ ବିଦେଶୀ ରାଷ୍ଟ୍ରମାନଙ୍କ ଦ୍ବାରା ଆକ୍ରମଣ ହୋଇଛି । ବିଖ୍ୟାତ ଲୁଟେରା ବିଶ୍ବବିଜୟୀ ଆଲେକଜାଣ୍ଡାର ସେମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଭାରତର ବୀର ସନ୍ତାନମାନେ ପୁନର୍ବାର ଅନନ୍ୟ ପରାକ୍ରମର ସହିତ ନବଜାଗରଣ ଆଣିଛନ୍ତି ।

ମାତ୍ର ‘ଇସଲାମ’ର ଉତ୍ପତ୍ତି ବିଶ୍ବ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ । ଲକ୍ଷ୍ୟ କରିବାର ବିଷୟ ଏହି କି ଯେ ଧର୍ମ ପ୍ରଚାର କରୁକରୁ ମୁସଲମାନମାନେ କେତେବେଳେ ବର୍ବର, ନୄଶଂସ, ଆକ୍ରମଣକାରୀ ଜାତିରେ ରୂପାନ୍ତରିତ ହୋଇଯାଇଥିଲେ, ତାହା ହେତୁ କଲାବେଳକୁ ଢେର୍ ବିଳମ୍ବ ହୋଇ ଯାଇଥିଲା । ସମଗ୍ର ବିଶ୍ବ ତାଙ୍କ ଆକ୍ରମଣରେ ଥରହର ହୋଇଥିଲା । ମଧ୍ୟପ୍ରାଚ୍ୟ, ଇଉରୋପ୍, ଆଫ୍ରିକା ଓ ଏସିଆର ଅନେକ ପ୍ରାନ୍ତରେ ସେମାନଙ୍କ ପାଦୁର୍ଭାବ କାଳକ୍ରମେ ବଢି ଯାଇଥିଲା । ତନ୍ମଧ୍ୟରୁ ସେମାନଙ୍କ ଭାରତ ଆକ୍ରମଣ ଅନ୍ୟତମ ପ୍ରମୁଖ ଘଟଣା । ସିନ୍ଧୁ, ପେଶାୱର ଏପରିକି ସମଗ୍ର ଦକ୍ଷିଣ ପଶ୍ଚିମ ଭାରତ ସେମାନଙ୍କ ଘନଘନ ଆକ୍ରମଣ ଓ ଲୁଣ୍ଠନରେ ଥରହର ହୋଇଥିଲା ।

ଅନେକ ଐତିହାସିକ ମୁସଲମାନଙ୍କ ଭାରତ ଆକ୍ରମଣ ଇତିହାସର ସବୁଠାରୁ ଭୟଙ୍କର ରକ୍ତରଞ୍ଜିତ ଘଟଣା ରୂପେ ଚିତ୍ରିତ କରିଛନ୍ତି । ହତ୍ୟାର ବିଭୀଷିକା, ଲୁଣ୍ଠନର ବର୍ବରତା ମନୁଷ୍ୟତାର ସବୁ ସୀମା ଟପି ଯାଇଥିବାରୁ ବୋଧହୁଏ ଐତିହାସିକମାନେ ଏଇ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ବିଶେଷତଃ ସନାତନୀ ହିନ୍ଦୁମାନଙ୍କ ଧର୍ମପୀଠକୁ ଧ୍ବଂସ କରି ତା’ ଛାତିରେ ମସଜିଦ ନିର୍ମାଣ କରିବା ଆହୁରି ନିନ୍ଦନୀୟ ଥିଲା । ଆଉ ରହିଲା ଭାରତୀୟଙ୍କ ପ୍ରତି ଆକ୍ରମଣ କଥା । ଲେଖକ ଯାହା କହିଛନ୍ତି ତା’ ହେଲା ଭାରତୀୟମାନଙ୍କର ଅଯଥା ଧର୍ମାଚରଣ ଓ ଅନ୍ଧବିଶ୍ବାସ । ଈଶ୍ବର ନିଜେ ନିଜକୁ ଓ ଆମମାନଙ୍କୁ ରକ୍ଷା କରିବେ ଭଳି ମନଗଢା ସିଦ୍ଧାନ୍ତରେ ଉପନୀତ ହେବା ବୋଧହୁଏ ହିନ୍ଦୁଙ୍କ ନୈତିକ ମନୋବଳକୁ ଶୂନ୍ୟ କରି ଦେଇଥିଲା । ନହେଲେ ମାମୁଦ ଗଜନୀ ଭଳି ଗୋଟିଏ ଲୁଟେରା ୨୧ବର୍ଷରେ ୧୭ଥର ଭାରତ ଲୁଣ୍ଠନ କରିବା କ’ଣ କମ୍ କଥା କି ? ପରେ ପରେ ମହମ୍ମଦ ଘୋରୀ, ମୋଗଲ ଓ ଅନ୍ୟାନ୍ୟ ଯବନଗଣ ଜଳୁଥିବା ନିଆଁରେ ଘିଅ ଢାଳି ଲୁଣ୍ଠନର ଏ ମହାପର୍ବକୁ ଆହୁରି ତେଜୀୟାନ କରିଥିଲେ । ଲକ୍ଷଲକ୍ଷ ଜନସାଧାରଣ ପୋକମାଛି ଭଳି ହତ୍ୟାର ଶୀକାର ହେବା ସହ ଶତଶତ ଜନପଦ ଉଜୁଡି ଯାଇଛି । କ୍ରୀତଦାସ, ହାରେମ୍ ଭଳି ବହୁ କୁତ୍ସିତ ପ୍ରଥାର ଉତ୍ଥାନ ହୋଇଛି । ହିନ୍ଦୁ ରାଷ୍ଟ୍ରରେ ହିନ୍ଦୁର ଜୀବନଧାରା ଶଙ୍କାଗ୍ରସ୍ତ ହୋଇଛି । ଏହାଠୁ ଭଳି ବଡ ବିଡମ୍ବନା ବିଶ୍ବ ଇତିହାସରେ ବିରଳ । ଇତିହାସର ଏଇ ସବୁ ହଜିଲା ଖିଅକୁ ଯୋଡ଼ି ବସିଲେ ଅନେକ ଉଦାହରଣ ଆଖି ସାମ୍ନାକୁ ଆସିଯାଏ । କେବଳ ସହୃଦୟ ଦୃଷ୍ଟିରେ ଦେଖିଲେ ହେଲା । ନିରପେକ୍ଷତା ଓ ସତ୍ୟର ଅବିକଳ ପରିବେଷଣ ଯଦି ଇତିହାସର ମୂଳ ଲକ୍ଷ୍ୟ ହୁଏ ତେବେ ଭାରତର ଇତିହାସକୁ ଆଉ ଥରେ ସଂଶୋଧିତ କରି ଲେଖାଯିବାର ଆବଶ୍ୟକତା ଅଛି ।

ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଭାରତର ବିଶାଳ ଅଂଶକୁ ଲୁଣ୍ଠନ କଲାପରେ ଯବନମାନଙ୍କ ନଜର ପଡେ ଓଡ୍ର ବା ଉତ୍କଳ ବା କଳିଙ୍ଗ ଉପରେ । କଳିଙ୍ଗ ଯେ କେବଳ ଧନଧାନ୍ୟରେ ପରିପୂର୍ଣ୍ଣ ଥିଲା ତା’ ନୁହେଁ, ଆଗଙ୍ଗା ଗୋଦାବରୀ ବିଶାଳ ସୈନ୍ୟବାହିନୀ ଦ୍ବାରା ସୁରକ୍ଷିତ । ଗଙ୍ଗବଂଶୀ ରାଜାମାନଙ୍କ ଦୂରଦୃଷ୍ଟି, ସୀମାନ୍ତରେ ଗଡଜାତ ରାଜ୍ୟମାନଙ୍କ ଗଠନ ତଥା ଉତ୍କଳୀୟ ପାଇକମାନଙ୍କ ଅପୂର୍ବ ପରାକ୍ରମ ଏ ଜାତିକୁ ସହଜରେ ମଥାନତ ହେବାକୁ ଦେଇନି । ଇତିହାସର ସେଇ ଗୌରବୋଜ୍ଜଳ ମୁହୂର୍ତ୍ତ ଆଜି ବି ପ୍ରତ୍ୟେକ ଓଡିଆର ରକ୍ତରେ ନିଆଁ ଲଗେଇଦିଏ । ଜାତିର ଦେବତା ଶ୍ରୀଜଗନ୍ନାଥଙ୍କ ପରମ ଆଶିଷକୁ ପାଥେୟ କରି ଉତ୍କଳୀୟ ସମ୍ରାଟ ଗଣ ବୀରତ୍ବର ଯେଉଁ ମହାନ ଗାଥା ସୃଷ୍ଟି କରି ଯାଇଛନ୍ତି, ପ୍ରତ୍ୟେକ ଓଡିଆ ଆଜି ବି ଗର୍ବ ଅନୁଭବ କରେ । ଦୀର୍ଘ ଦିନ ଧରି ଉତ୍କଳ ପ୍ରଦେଶ ଅବିଜିତ ରହିବା ପରେ ଶେଷରେ ଯବନ ରକ୍ତବାହୁ ଲୁଣ୍ଠନର ମୂଳଦୁଆ ପକେଇଥିଲା । ଲୁଣ୍ଠନ ଓ ଆକ୍ରମଣର ମୂଳ ଉଦ୍ଦେଶ୍ୟ କ’ଣ ? ପୁଣି ଧର୍ମସ୍ଥଳକୁ ଆକ୍ରମଣ କରାଯାଉଥିଲା କାହିଁକି ? ଲେଖକ ଆକ୍ରମଣ ଓ ଲୁଣ୍ଠନର ଯେଉଁ କାରଣ ଦର୍ଶାଇଛନ୍ତି ତାହା ଠିକ୍ ଏଇଭଳି । ଉତ୍କଳପ୍ରଦେଶ ହାତୀ, ହାତୀଦାନ୍ତ, ମସଲା, ସ୍ବର୍ଣ୍ଣ, ରୌପ୍ୟ ଓ ହୀରା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ପାଇଁ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ପୁଣି ଏସବୁ ସମ୍ପତ୍ତିର ଏକ ବିଶାଳ ଅଂଶ ମନ୍ଦିରମାନଙ୍କରେ ହିଁ ଜମା ହୋଇ ରହୁଥିଲା । ତା’ ଛଡା ମନ୍ଦିର ଓ ମଠମାନ ଥିଲେ ଉତ୍କଳୀୟ ତଥା ଭାରତୀୟଙ୍କ ଆଧ୍ୟାତ୍ମିକ ଆସ୍ଥା, ବିଶ୍ବାସ ଓ ଚେତନାର ଆଧାର ସ୍ଥଳୀ । ତେଣୁ ଲୁଣ୍ଠନକାରୀ ମନ୍ଦିରମାନଙ୍କୁ ହିଁ ସେମାନଙ୍କ ଆକ୍ରମଣ ଓ ଲୁଣ୍ଠନ ଉତ୍ସ ବୋଲି ଧରି ନେଇଥିଲେ । ମନ୍ଦିର ବା ଧର୍ମସ୍ଥଳୀମାନଙ୍କ ଉପରେ ପରିତାପର ବିଷୟ ଏହି କି ଯେ ବାରମ୍ବାର ଆକ୍ରମଣ ପରେ ମଧ୍ୟ ତତ୍କାଳୀନ ରାଜନ୍ୟବର୍ଗ ଓ ରାଜ୍ୟବାସୀଙ୍କ ଚୈତନ୍ୟ ଉଦୟ ହୋଇ ନଥିଲା ! ସେମାନେ ରାଷ୍ଟ୍ରହିତରେ ଅର୍ଥବ୍ୟୟ କରିବା ପରିବର୍ତ୍ତେ ରାଷ୍ଟ୍ରର ସମ୍ପତ୍ତିକୁ ବାରମ୍ବାର ମନ୍ଦିର ଓ ମଠମାନଙ୍କରେ ଜମା କରୁଥିଲେ । ପୁଣି ଦାନସୂତ୍ରରେ ମଧ୍ୟ ବହୁ ଉପହାର ଧର୍ମପୀଠକୁ ପ୍ରଦାନ କରାଯାଉଥିଲା । ଫଳତଃ ପ୍ରତିବର୍ଷ ମନ୍ଦିରର ସମ୍ପତ୍ତି ବୃଦ୍ଧି ପାଉଥିଲା । ଶବ ଦେଖିଲେ ଯେପରି ଶାଗୁଣା, ବିଲୁଆ ଆକର୍ଷିତ ହୁଅନ୍ତି ସେପରି ଉତ୍କଳୀୟ ମନ୍ଦିରମାନଙ୍କ ଐଶ୍ବର୍ଯ୍ୟ ବିଷୟରେ ଶୁଣିଶୁଣି ବିଦେଶୀମାନେ ସ୍ବତଃ ଟାଣି ହୋଇ ଆସିଛନ୍ତି । ଯେପର୍ଯ୍ୟନ୍ତ ରାଜନୈତିକ ସ୍ଥିରତା, ସୀମା ସୁରକ୍ଷା, ପ୍ରାଦେଶିକ ଶାସନ ବ୍ୟବସ୍ଥା ସୁଦୃଢ଼ ଥିଲା ସେପର୍ଯ୍ୟନ୍ତ ବିଦେଶୀ ଶତ ଚେଷ୍ଟା ପରେ ମଧ୍ୟ ଅସଫଳ ରହିଛନ୍ତି । କିନ୍ତୁ ସବୁବେଳେ ତ ସୂର୍ଯ୍ୟ ଆଉ ମଧ୍ୟାହ୍ନରେ ରହିବେନି । ବିକାଶ, ଉନ୍ନତି ଓ ପରାକ୍ରମର ସୂର୍ଯ୍ୟ କ୍ରମେ ଅସ୍ତଗାମୀ ହୋଇଛନ୍ତି । ମାଡି ଆସିଛି ଅନ୍ଧକାରର ସଘନ ଜୁଆର । ଯାହା କେତେ କାଳ ଧରି ଏ ଜାତିର ଅସ୍ମିତା, ପରମ୍ପରା, ବୀରତ୍ବ, ସଂସ୍କୃତି ଓ ସମ୍ପ୍ରଦାୟକୁ ରସାତଳ କରିଛି । ଆସିଛି ରକ୍ତବାହୁ ନାମକ ଏକ ଆତଙ୍କ । ଜଳପଥରେ ଆସି ଶ୍ରୀକ୍ଷେତ୍ର ଆକ୍ରମଣ କରିଛି । ଅବଶ୍ୟ ତା’ ପୂର୍ବରୁ ତିନି ମହାପୁରୁଙ୍କୁ ସୁଦୂର ସୋନପୁରରେ ପାତାଳି କରାଯାଇଛି । ରକ୍ତବାହୁ ଅଚଳାଚଳ ସମ୍ପତ୍ତି ରତ୍ନଭଣ୍ଡାରରୁ ଲୁଣ୍ଠନ କରି ଫେରିଯାଇଛି । ତେବେ ରକ୍ତବାହୁର ପ୍ରକୃତ ନାମ, ଆକ୍ରମଣର ସମୟ, ସେ ସମୟର ଶାସକ ଓ ଲୁଣ୍ଠନର ସଠିକ୍ ପରିମାଣକୁ ନେଇ ଐତିହାସିକ ଦ୍ବନ୍ଦ୍ବ ଅଦ୍ୟାପି ଅସମାହିତ । ଏହାପରେ ବିତିଯାଇଛି ଦୀର୍ଘ ୧୪୫ବର୍ଷ । ଏ ଜାତିର ଆରାଧ୍ୟ ଦେବତା, କୋଟି ହୄଦୟର ମଉଡ଼ମଣି ଅଖୋଜା, ଅଲୋଡା ଓ ଅବହେଳିତ ଭାବେ ପାତାଳୀ ରହିଛନ୍ତି । କିନ୍ତୁ ତାଙ୍କର ସତ୍ତା ତଥାପି ବିଦ୍ୟମାନ ରହିଥିଲା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଉତ୍କଳୀୟମାନଙ୍କ ହୃଦୟରେ ସୂକ୍ଷ୍ମ ରୂପରେ । ଇତିହାସର ଏ କ୍ରମ ଅପସୃୟମାନ ଐତିହ୍ୟକୁ ସଂଯୋଗର ସୂତାରେ ଯୋଡ଼ି ସମ୍ପୂର୍ଣ୍ଣ ବାସ୍ତବ ତଥ୍ୟର ଉପସ୍ଥାପନ ନିହାତି କଷ୍ଟକର । ଯେଉଁସବୁ ଐତିହାସିକ ଉତ୍ସ ଉପଲବ୍ଧ କାହା ସହିତ କାହାର ତଥ୍ୟଗତ ସାମଞ୍ଜସ୍ୟ ରହୁଛି ତ ପୁଣି କେବେ ଭିନ୍ନତା । ପୁଣି ଶାସକ, ଆକ୍ରମଣକାରୀ ଓ ସମୟର ଭିନ୍ନଭିନ୍ନ ଉଚ୍ଚାରଣ ଆହୁରି ଦ୍ବନ୍ଦ୍ବ ସୃଷ୍ଟି କରେ । ତେଣୁ ଐତିହାସିକ ଯଥାସମ୍ଭବ ସତର୍କତା ଅବଲମ୍ବନ କଲେ ମଧ୍ୟ ଭୁଲ୍ ରହିଯାଇପାରେ । ତତ୍କାଳୀନ ସମୟରେ ଇତିହାସ ଲିପିବଦ୍ଧ କରିବାର ସେମିତି କିଛି ନୀତି ନିୟମ ନଥିଲା । ଯାହା ବି ସ୍ଥାନୀୟ ଗ୍ରନ୍ଥ ଉପଲବ୍ଧ ହେଉଛି ସେଥିରୁ ପ୍ରକୃତ ସତ୍ୟ ଆକଳନ କରିବା କାଠିକର ପାଠ । ଯେମିତି ‘ଯବନ’ ଶବ୍ଦକୁ ନେଇ ଏବେ ବି ଦ୍ବନ୍ଦ୍ବ ବିଦ୍ୟମାନ । ଏମାନେ ବିଦେଶୀ(ମୁସଲମାନଙ୍କ ଅଭ୍ୟୁଦୟ ପୂର୍ବର), ପଠାଣ, ମୋଗଲ, ପର୍ତ୍ତୀଗୀଜ, ଇଂରେଜ ନା ଅନ୍ୟ କେହି ?

ପ୍ରଥମରୁ ତ କୁହାଯାଇଛି ଭାରତୀୟ ସଭ୍ୟତା ଦୀର୍ଘ ବର୍ଷ ଧରି ଯବନମାନଙ୍କ ଅମାନୁଷିକ ଲୁଣ୍ଠନ, ଗଣହତ୍ୟା, ବଳପୂର୍ବକ ଧର୍ମାନ୍ତରଣର ଶୀକାର ହୋଇ ଆସିଛନ୍ତି । ତେଣୁ କାଳକ୍ରମେ ଏସବୁ ଦେହସୁହା ହୋଇଯାଇଛି । ତେବେ ସେ ଯାହା ହେଉ ଶ୍ରୀମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି, ରତ୍ନଭଣ୍ଡାର, ରଥଯାତ୍ରାକୁ ନେଇ ସୃଷ୍ଟ ଗୁଜବ, ଲୋକକଥା ବହୁ ବିଦେଶୀଙ୍କୁ ଏ ଭୂମିକୁ ଟାଣି ଆଣିଛି । ଭିନ୍ନଭିନ୍ନ ଉଦ୍ଦେଶ୍ୟରେ ସେମାନେ ଭିନ୍ନଭିନ୍ନ ସମୟରେ ଆସି ସେମାନଙ୍କ ଅସଲ ଉଦ୍ଦେଶ୍ୟ ଚରିତାର୍ଥ କରିଯାଇଛନ୍ତି । ପୁଣି ଅନେକ ସମୟରେ କିମ୍ଭୁତ କିମାକାର ଅପପ୍ରଚାର ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି । ଜଗନ୍ନାଥଙ୍କ ନାମଟି ଅପଭ୍ରଂସ ହୋଇ ‘ଜଗର୍ନଟ’ରେ ପରିଣତ ହୋଇଯାଇଛି । ଥରେ ଆକ୍ରମଣର ରାସ୍ତା ଫିଟିଲା ପରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ରତ୍ନଭଣ୍ଡାର, ଚତୁର୍ଦ୍ଧା ବିଗ୍ରହଙ୍କୁ ବାରମ୍ବାର ଆକ୍ରମଣ କରାଯାଇଛି । ରକ୍ତବାହୁ ଉପକ୍ରମର ଦୀର୍ଘ ବ୍ୟବଧାନ ପରେ ଆସିଛି ବଙ୍ଗ ସୁଲତାନ ଇଲିୟାସ ଶାହର ଦ୍ବୀତୀୟ ଲୁଣ୍ଠନ । କିଛି ରାଜଦ୍ରୋହୀ ଗୃହଶତ୍ରୁଙ୍କୁ ହାତ କରି ଯବନ ଇଲିୟାସ ଶ୍ରୀମନ୍ଦିର ଲୁଟିଛି, ଶ୍ରୀକ୍ଷେତ୍ରର ନୀରିହ ଜନସାଧାରଣଙ୍କୁ ହତ୍ୟା କରିଛି, ନାରୀ ଅପହରଣ ଭଳି ନାରକୀୟ କାଣ୍ଡ କରିଛି । ବହୁ ବିଳମ୍ବରେ ରାଜା ନରସିଂହ ଦେବ ଖବର ପାଇ ଆସିଲା ବେଳକୁ ସବୁ ଶେଷ, ଆକ୍ରମଣକାରୀ ନିଜ ଲକ୍ଷ୍ୟ ହାସଲ କରି ପଳାୟନ କରିଥିଲେ । ତା’ପରେ ଦିଲ୍ଲୀ ବାଦଶାହା ଫିରୋଜା ଶାହା ତୋଗଲକ ଏବଂ ବଙ୍ଗ ସୁଲତାନ ଇସମାଇଲ ଗାଜିର ଶ୍ରୀମନ୍ଦିର ଆକ୍ରମଣ । କେତେ ଲୁଣ୍ଠନ ହେଲା, କେତେ ମଲେ ବା ଗଲେ ତାର ସଠିକ ସୂଚନା ଏବେ ସୁଦ୍ଧା ଅନୁପଲବ୍ଧ । କେବଳ ଯାହା ଅନୁମାନ ବା ଆଂଶିକ ଭାବେ ଅବତାରଣା କରାଯାଇଛି । କେବଳ ‘ମାଦଳାପାଞ୍ଜି’ ଭଳି କିଛି ମୁଷ୍ଟିମେୟ ଗ୍ରନ୍ଥ ହିଁ ଯାହା ଲିପିବଦ୍ଧ କରିଯାଇଛନ୍ତି । ସେତକ ହୋଇ ନଥିଲେ ଆଜି ଏତିକି ବି ଆମକୁ ଜାଣିବାକୁ ମିଳିନଥାନ୍ତା । ତା’ପରେ ଆସିଛି ‘କଳାପାହାଡ’ର ଦୁର୍ଦ୍ଦର୍ଶ ଆକ୍ରମଣ । ଉତ୍କଳୀୟ ଧର୍ମ, ସଂସ୍କୃତି ଓ ସାମାଜିକ ପରମ୍ପରା ପ୍ରତି କଳାପାହାଡର ଆକ୍ରମଣ ତୀବ୍ର ଆଘାତ ପହୁଞ୍ଚାଇଛି । ଓଡିଶାର ଶେଷ ସ୍ବାଧିନ ରାଜା ମୁକୁନ୍ଦଦେବଙ୍କ ପରେ ସାମରିକ ଶକ୍ତିର ଦୁର୍ବଳତା, ରାଜନୈତିକ ଚଞ୍ଚକତା, ଜନସାଧାରଣଙ୍କ ମାତ୍ରାଧିକ ଧର୍ମପରାୟଣ ଗୁଣ ବୈଦେଶିକ ଆକ୍ରମଣକୁ ପୁଞ୍ଜି ଯୋଗାଏ । ଆଗାମୀ କେତେ ବର୍ଷ ଧରି ଏ ଭୂଇଁ ଯବନମାନଙ୍କ ଚରାଭୂଇଁ ପାଲଟି ଯାଇଥିଲା । ଯାଜପୁର ପରାଜୟ, ଐତିହାସିକ ବାରବାଟୀ ଦୁର୍ଗର ପତନ ପରେ ସୁଲେମାନ କରରାନୀର କ୍ରୁର ଦୃଷ୍ଟି ପଡେ ଶ୍ରୀକ୍ଷେତ୍ର ଉପରେ । ଫଳତଃ ତା’ ସେନାପତି କଳାପାହାଡ ଓରଫ କାଳୀଦାସ ଗଜଦାନୀର ଆକ୍ରମଣରେ ଓଡିଶା ଥରହର ହୁଏ । ଆକ୍ରମଣରର ଭୟାବହତା ସଂପର୍କରେ ମାଦଳାପାଞ୍ଜି ଯାହା କୁହନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରର ‘ବାବନ କୋଟି ଭଣ୍ଡାର’ ଲୁଟ୍ କରିଥିଲା ଏହି ବର୍ବର । ହତ୍ୟା, ଲୁଣ୍ଠନର କଳାବାଦଲ ଯେମିତି ସମଗ୍ର ଭୂଖଣ୍ଡକୁ ଘେରି ରହିଥିଲା । ତେବେ କଳାପାହାଡକୁ ନେଇ ଆହୁରି ଅନେକ କିମ୍ବଦନ୍ତୀ ଓ ଲୋକକଥା ରହିଛି । ଶ୍ରୀ ବିଗ୍ରହମାନଙ୍କୁ ସେ ଖଣ୍ଡଖଣ୍ଡ କରି କାଟି ଫିଙ୍ଗି ଦେଇଥିଲା କିମ୍ବା ଦଉଡିରେ ବାନ୍ଧି ଘୋଷାଡି ନେଇ ଯାଇଥିଲା । ପୁଣି ଶିଖି, ମନାଇ ଓ ଦାନ ପାତ୍ରର ବିଶ୍ବାସଘାତକତା ଏ ଜାତି କେବେ ବି ଭୁଲିପାରିବ ନାହିଁ । ପୁନଶ୍ଚ ବିଶର ମହାନ୍ତି କିମ୍ବା ବଡ଼ ପଦ୍ମନାଭ ପଟ୍ଟନାୟକଙ୍କ ତ୍ୟାଗ ଆହୁରି ସ୍ମରଣୀୟ । କଳାପାହାଡର ଲୁଣ୍ଠନ ସର୍ବାଧିକ ଥିଲା । ସେ ସମ୍ପର୍କିତ ସକଳ କିମ୍ବଦନ୍ତୀ, ଲୋକକଥା ଆଜି ଲିଖିତ ଇତିହାସ ।

ଐତିହାସିକ ସୁରେନ୍ଦ୍ର ମିଶ୍ର ଶ୍ରୀମନ୍ଦିର ଲୁଣ୍ଠନର ସର୍ବମୋଟ ୧୫ଟି ବିବରଣୀକୁ ସ୍ଥାନୀତ କରିଛନ୍ତି । ଆହୁରି ମଧ୍ୟ ହୋଇ ଥାଇପାରେ । ମାଦଳାପାଞ୍ଜି, ଚୟିନୀ ଚକଡା, ଚୟନୀ ପୋଥି ଭଳି ପ୍ରାଚୀନ ଗ୍ରନ୍ଥ ସହିତ ଅନ୍ୟାନ୍ୟ ବହୁ ଗ୍ରନ୍ଥର ସାହାଯ୍ୟ ନିଆଯାଇଛି । ଆହୁରି ମଧ୍ୟ ଅନେକ ଆକ୍ରମଣର ଆଶଙ୍କା କରାଯାଇଛି ଯାହା ଅମୂଳକ ନୁହେଁ । ଓଡିଶାର ଇତିହାସ ଅନେକ କ୍ଷେତ୍ରରେ ନିରବ । ତେବେ ଯେତିକି ସୂଚନା ଉପଲବ୍ଧ ହେଉଛି ସେତିକିରୁ ହିଁ ଯବନମାନଙ୍କ ଆକ୍ରମଣ ଓ ଲୁଣ୍ଠନର ଏକ ମୋଟାମୋଟି ବିବରଣୀ ଦିଆଯାଇଛି । କେତେ ଯେ ହିନ୍ଦୁ ଧର୍ମପୀଠ ଧୂଳିସାତ୍ ହୋଇ ମୁସଲିମ ଧର୍ମପୀଠରେ ପରିଣତ ହୋଇଯାଇଛି ତାର ଇୟତ୍ତା ନାହିଁ । ହିନ୍ଦୁ ନିଜ ଘରେ ପଳାତକ ସାଜିଛି । ଚତୁର୍ଦ୍ଧା ମୂର୍ତ୍ତି ବାରମ୍ବାର ଆସ୍ଥାନ ପରିବର୍ତ୍ତନ କରି ବିଭିନ୍ନ ସ୍ଥାନରେ ଗୁପ୍ତରେ ପୂଜା ପାଇଛନ୍ତି ବା ପାତାଳୀ ଗମନ କରିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ଶ୍ରୀମନ୍ଦିର ବଞ୍ଚିଯାଇଛି । ଯେଉଁଠି ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଲକ୍ଷଲକ୍ଷ ମନ୍ଦିର ଆକ୍ରମଣରେ ଧ୍ବଂସ ପାଇଯାଇଛି କିମ୍ବା ମସଜିଦ୍, କବରସ୍ଥଳୀ ବା ମୁସଲିମ ତୀର୍ଥରେ ବଳପୂର୍ବକ ରୂପାନ୍ତର କରାଯାଇଛି, ସେ ଦୃଷ୍ଟିରୁ ଶ୍ରୀମନ୍ଦିର ରକ୍ଷା ପାଇଯିବା ବିସ୍ମୟ ଓ ଚମତ୍କାରିତା ଠାରୁ କିଛି କମ୍ ନୁହେଁ । ଏତେ ପରେ ବି ଏ ଜାତି ପଡି ଉଠି ପୁଣି ଅଣ୍ଟା ଭିଡି ଠିଆ ହୋଇଛି । ଜାତିର ଜୀବନ୍ତ ଦେବତା ଜଗନ୍ନାଥଙ୍କୁ ନିଜ ଜୀବନ ଦେଇ ବଞ୍ଚେଇବାକୁ ଆପ୍ରାଣ ଉଦ୍ୟମ କରିଛି । ଠାକୁରଙ୍କୁ ନେଇ ଅନେକ ସ୍ଥାନକୁ ସ୍ଥାନାନ୍ତର କରିଛି । ରତ୍ନ ସିଂହାସନ ବର୍ଷବର୍ଷ ଧରି ଖାଲିପଡିଛି । କଳାପାହାଡ ହେଉ ବା ମୋଗଲ ବାଦଶାହା ହୁଅନ୍ତୁ, ଯବନ କେଶୋଦାସ ମାରୁ ହେଉ ବା ମହମ୍ମଦ ତକି ଖାଁ ଏମାନଙ୍କ ଆତଙ୍କକୁ ପିଠିରେ ସହିଯାଇଛି ଏ ଜାତି । ତଥାପି ଏ ଜାତି ବଞ୍ଚିଛି ।

ଅବଶ୍ୟ ଇତିମଧ୍ୟରେ ପୁସ୍ତକଟିର ଦ୍ବିତୀୟ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇସାରିଛି । ଲେଖକ ସୁରେନ୍ଦ୍ର ମିଶ୍ରଙ୍କୁ ଆମେ ଧନ୍ୟବାଦ ଜଣାଇବା ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଲୁଣ୍ଠନର ସମଗ୍ର ବିବରଣୀକୁ ଇତିହାସର ବିଭିନ୍ନ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କରିଛନ୍ତି । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ଦସ୍ତାବିଜକୁ ଇତିହାସର କବରତଳୁ ସାଉଁଟିଆଣି ଘଟଣାକ୍ରମରେ କ୍ରମ ସଂଯୋଗ କରି ତାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ତାଙ୍କ ପାଇଁ ନିଶ୍ଚୟ ସହଜ ହୋଇନଥିବ । ଇତିହାସର ଏସବୁ ଅଭୂଲା ମୁହୂର୍ତ୍ତ ପୁଣି ଥରେ ଇତିହାସ ପାଲଟିଯିବା ପୂର୍ବରୁ ତାକୁ ସୁସଂଯୋଜିତ କରି ଲେଖକ ଯେଉଁ ଅମୂଲ୍ୟ କାର୍ଯ୍ୟଟି କରିଛନ୍ତି, ସେଥିପାଇଁ ଅନୁସନ୍ଧିତ୍ସୁ ପାଠକ, ଗବେଷକ ସର୍ବୋପରି ଅଗଣିତ ଜଗନ୍ନାଥ ପ୍ରେମୀ ଜିଜ୍ଞାସୁ ତାଙ୍କ ପ୍ରତି କୃତଜ୍ଞ ରହିବେ । ଜୟ ଜଗନ୍ନାଥ…….

Leave a Reply

Your email address will not be published. Required fields are marked *

Back to top button